ଅରୂପାନନ୍ଦ ଓ ବୀରେନ୍ଦ୍ର ପାଇଲେ ଓସ୍‌ଜା ବାର୍ଷିକ ପୁରସ୍କାର ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୧ା୩ (ସମ୍ବିତ ମହାପାତ୍ର): କ୍ରୀଡ଼ାବିତ୍‍ଙ୍କ ପ୍ରସାର କ୍ରୀଡ଼ାର ବିକାଶର ସବୁଠାରୁ ବଡ଼ ଉପାଦାନ। ଆଉ କ୍ରୀଡ଼ାବିତ୍‍ଙ୍କ ସଠିକ୍‍ ପ୍ରଚାର ଓ ପ୍ରସାର କରି ସେହି ବିକାଶର କାମକୁ ଦିଗପ୍ରଦାନ କରିବାରେ କ୍ରୀଡ଼ା ସାମ୍ବାଦିକମାନଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି। ଖେଳକୁ ପ୍ରସାରିତ କରିବା ଓ ଯୁବା କ୍ରୀଡ଼ାବିତ୍‍ମାନଙ୍କୁ ଖେଳ ସକାଶେ ପ୍ରେରିତ କରିବାର କାମ କରିଥାନ୍ତି ବୋଲି ସୋମବାର କିମ୍ସ ଅଡିଟୋରିୟମରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ଉତ୍ସବରେ ଅତିଥିମାନେ ମତପ୍ରଦାନ କରିଛନ୍ତି। ଓସ୍‌ଜାର ସପ୍ତମ ପ୍ରତିଷ୍ଠା ଦିବସ ଉତ୍ସବ ସଭାପତି ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରଥମ ଅର୍ଜୁନ ବିଜୟିନୀ ମିନତୀ ମହାପାତ୍ର ମୁଖ୍ୟଅତିଥି ତଥା ଭାରତୀୟ ଭାରୋତ୍ତଳନ ସଂଘର ସଭାପତି ସହଦେବ ଯାଦବ, ଏମଜିଏମ୍‍ ମିନେରାଲ୍ସର ଚେୟାରମ୍ୟାନ୍‍ ତଥା ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ଓସିଏ ସମ୍ପାଦକ ସଂଜୟ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ।
ଓଡ଼ିଶା ତଥା ଭାରତୀୟ ବାସ୍କେଟବଲ୍‌ ଦୁନିଆର କିଂବଦନ୍ତି ଖେଳାଳି ଓ ପ୍ରଶିକ୍ଷକ ଅରୂପାନନ୍ଦ ରାଉତରାୟଙ୍କୁ ଓସ୍‍ଜା ଲାଇଫ୍‍ ଟାଇମ୍‍ ଆଚିଭମେଣ୍ଟ୍‌ ପୁରସ୍କାରଏବଂ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରାଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଆକାରରେ ବିଶେଷ ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ୨୫ ହଜାର ଟଙ୍କାର ଚେକ୍‍ ପ୍ରଦାନ ପୂର୍ବକ ଅରୂପାନନ୍ଦ ଓ ବୀରେନ୍ଦ୍ରଙ୍କୁ ଅତିଥିମା‌େ ସମ୍ମାନିତ କରିଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ସଂଘର ସଭାପତି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କ୍ରୀଡ଼ା ବିକାଶ ଯୋଗଦାନ ପାଇଁ ଓସ୍‍ଜା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ସମ୍ମାନ ଗ୍ରହଣ କରିଥିଲେ କିଟ୍‍ର କ୍ରୀଡ଼ା ବିଭାଗର ଡିଜି ଡକ୍ଟର ଗଗନେନ୍ଦୁ ଦାଶ।
ଭାରତୀୟ ଭାରୋତ୍ତୋଳନ ସଂଘର ସଭାପତି ସହଦେବ ଯାଦବ ଭାରୋତ୍ତୋଳନର ପ୍ରସାର ପ୍ରଚାର ପାଇଁ କ୍ରୀଡ଼ା ସାମ୍ବାଦିକମାନେ ସହଯୋଗ କରିବାକୁ ନିବେଦନ କରିଥିଲେ। ଖେଳାଳିମାନେ ଶକ୍ତିବର୍ଦ୍ଧକ ସେବନ ନକରିବା ଉପରେ ସେ ଗୂରୁତ୍ବ ଦେଇଥିଲେ। ୨୦୨୮ ଅଲିମ୍ପିକ୍‌ରେ ଓଡ଼ିଶାର ଝିଲି ଦଳବେହେରା ପଦକ ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଓଡ଼ିଶା ସରକାର ଓ କିଟ୍‍ ପକ୍ଷରୁ ଯେଉଁ କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟ କରାଯାଉଛି ତାହାକୁ ସେ ଖୁବ୍‍ ପ୍ରଶଂସା କରିଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଂଜୟ ବେହେରା କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଉପରେ ଦର୍ଶାଇବା ସହ ଓସ୍‍ଜା ପାଇଁ ସହଯୋଗର ହାତ ବଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ। କିଂବଦନ୍ତି ସାଇକ୍ଲିଷ୍ଟ ମିନତୀ ମହାପାତ୍ର ତାଙ୍କ ପ୍ରାରମ୍ଭିକ ଜୀବନରେ କିପରି ଏକ ଖବରକାଗଜର ପ୍ରଭାବ ତାଙ୍କ ଖେଳ ଜୀବନ ନିର୍ଦ୍ଧାରିତ କରିଥିଲା ବଖାଣିଥିଲେ। କ୍ରୀଡ଼ା ସାମ୍ବାଦିକମାନେ ଓଡ଼ିଶାକୁ କ୍ରୀଡ଼ା ଶକ୍ତିରେ ପରିଣତ କରିବା ଦିଗରେ ବଡ଼ ଭୂମିକା ନିଭାଉଥିବା ପ୍ରକାଶ କରିଥିଲେ। ଦୁଇ ପୁରସ୍କାର ବିଜେତା ଏହି ଭାବପୂର୍ଣ୍ଣ ସମ୍ବର୍ଦ୍ଦନା ପାଇଁ ଓସ୍‍ଜାକୁ ଦେଇଥିଲେ ଧନ୍ୟବାଦ୍‍।
ଓସ୍‍ଜା ସମ୍ପାଦକ ସଂବିତ୍‍ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜନ ସମିତି ଅଧ୍ୟକ୍ଷ ସୁଶାନ୍ତ ମହାନ୍ତି ସଂଘର ଗଠନଧାରା ବାବଦରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ତଥା ସଭାପତି ସନ୍ଦୀପ ମିଶ୍ର ଆଗାମୀ କାର୍ଯ୍ୟକ୍ରମ ବାବଦରେ ସମସ୍ତଙ୍କୁ ଅବଗତ କରିଥିଲେ। ଏହି ଉତ୍ସବରେ ଓସ୍‍ଜାର କାର୍ଯ୍ୟକାରୀ ସଭାପତି କେ ରବି, ସନାତନ ପାଣି, ହିମାଂଶୁ ପତି ମିଶ୍ର, ଦେବୀ ପ୍ରସନ୍ନ ମହାନ୍ତି, ସୁରେଶ ସ୍ୱାଇଁ, ତପନ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ପ୍ରତାପ ପ୍ରଧାନ, ମନୋରଞ୍ଜନ ଦାସ, ରଞ୍ଜନ ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ମନମୋହନ ସ୍ୱାଇଁ, ସୁଜିତ ଦାସ, ମହେନ୍ଦ୍ର ସାହୁ, ତୁଷାର ସେନାପତି, ଦୀପ୍ତି ରଞ୍ଜନ ସାମଲ, ବିଜୟ ରଣା, ସନ୍ତୋଷ ମହାନ୍ତି, ବେଣୁଧର ଦାସ, ପ୍ରଫୁଲ୍ଲ କିଶୋର ସାହୁ, ରଶ୍ମିପ୍ରଭା ରଥ, ଶକ୍ତି ପ୍ରକାଶ ନନ୍ଦ, ଶୁଭଲକ୍ଷ୍ମୀ ବଳ ପ୍ରମୁଖ ଯୋଗ ଦେଇଥିଲେ।