କ୍ରୀଡ଼ା ବିକାଶରେ ଓଡ଼ିଶାର ଅବଦାନ, ବିଶ୍ବରେ ବିରଳ ରାଣୀ

ଅଶୋକ ପଟ୍ଟନାୟକ ସ୍ମାରକୀ ଉତ୍ସବରେ ଓସ୍‌ଜାର ବାର୍ଷିକ ସ୍ମରଣିକା ଲୋକାର୍ପିତ

ଭୁବନେଶ୍ବର, ୧୮/୮: ‘ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ। କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ବ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି। ସରକାର ଖେଳ ବିକାଶର ମାନଦଣ୍ଡକୁ ଏତେ ଉପରକୁ ନେଇଯାଇଛନ୍ତି ଯେ ଅନ୍ୟ ରାଜ୍ୟଗୁଡିକ ପାଇଁ ଏହାକୁ ଛୁଇଁବା କଷ୍ଟକର ହୋଇଯିବ। ବିଶ୍ବରେ ମଧ୍ୟ ଏଭଳି ପୂର୍ଣ୍ଣ ସମର୍ଥନ ବିରଳ’।  କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ସରକାରଙ୍କୁ ଏଭଳି ପ୍ରଶଂସା କରିଛନ୍ତି। ଆମ ସଫଳତା ଓ ସଂଘର୍ଷର କାହାଣୀ ଲୋକଙ୍କ ନିକଟରେ ପହଞ୍ଚିପାରିଥିବାରୁ ଆମକୁ ସ୍ବୀକୃତି ମିଳିଛି ଏବଂ ଅନ୍ୟମାନେ ଅନୁସରଣ କରିଛନ୍ତି।  ଏଥି ପାଇଁ ଖେଳ ସାମ୍ବାଦିକଙ୍କ ନିକଟକୁ ଶ୍ରେୟ ଯିବ। କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଜୀବନରେ ଆମେ ହାର୍‌ ମାନିବା ଉଚିତ ନୁହେଁ, ବହୁ କଠିନ ପରିଶ୍ରମ କରି ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି। ଯେଉଁ କ୍ରୀଡ଼ାବିତ ଏଠାରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ମୋର ଗୋଟିଏ ପରାମର୍ଶ, ନିଷ୍ଠାର ସହ ପରିଶ୍ରମ କରିଚାଲ ଦେଖିବ ୧୦ ବର୍ଷ ପରେ ତୁମେ ମୋ ସ୍ଥାନରେ ଥିବ ବୋଲି ଉପସ୍ଥିତ ୫୦ରୁ ଊର୍ଧ୍ବ ‌ଯୁବ ଖେଳାଳିଙ୍କୁ ରାଣୀ ପରାମର୍ଶ ଦେଇଥିଲେ। ଏସୀୟ କ୍ରୀଡ଼ା ଆମର ଉଭୟ ପୁରୁଷ ଓ ମହିଳା ହକି ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଯଦି ଆମେ ସ୍ବର୍ଣ୍ଣ ଜିତୁଛୁ ତେବେ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିପାରିବୁ। ମୋର ବିଶ୍ବାସ ଆମେ ସ୍ବର୍ଣ୍ଣ ଜିତିବୁ ଏବଂ ହାଙ୍ଗଝୌରେ ପ୍ୟାରିସ ଟିକେଟ୍ ହାସଲ କରିବୁ ବୋଲି ରାଣୀ ଆଶା ପ୍ରକଟ କରିଥିଲେ।

କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଆନୁକୂଲ୍ୟରେ ଆୟୋଜିତ ଏହି ବକ୍ତୃତା ମାଳାରେ ରାଣୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକିର ନିର୍ଦ୍ଦେଶକ ଡେଭିଡ୍ ଜନ୍ ଓ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ମୁଖ୍ୟ ରାଜୀବ ସେଠ୍ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକତା ପ୍ରତି ସ୍ବର୍ଗତଃ ଡ. ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କାର୍ଯ୍ୟକ୍ରମ ଆରମ୍ଭରୁ ଏକ ମିନିଟ ନିରବ ପ୍ରାର୍ଥନା ସହ ପୁଣ୍ୟ ଶ୍ରାଦ୍ଧ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଓସ୍‌ଜାର ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା।
ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ, ‘କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ସେମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରନ୍ତି। ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାନ୍ତି।’ ଓଡ଼ିଶାରେ ହକିର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ପ୍ରତିଭାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଡେଭିଡ୍ ଜନ୍। ଓଡ଼ିଶା ହକିର ବିକାଶ ନେଇ ଓଡ଼ିଶା ନାଭାଲ ଟାଟା ଏକାଡେମୀ କିଭଳି କାର୍ଯ୍ୟ କରୁଛି ଏବଂ ଏକାଡେମୀର ସଫଳତା ସଂପର୍କରେ ରାଜୀବ ସେଠ୍ ମତ ରଖିଥିଲେ।
ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜା ପରିଚାଳନା କମିଟି ସଦସ୍ୟ ସଂବିତ୍ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜାତୀୟ ସଂଘ ଏସ୍‌ଜେଏଫ୍ଆଇର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଥିବା ଓସ୍‌ଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଏବଂ ସ୍ବର୍ଣ୍ଣ ଜୟନ୍ତୀ ସମିତିରେ ସାମିଲ ହୋଇଥିବା ସଭାପତି ସନ୍ଦୀପ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓସ୍‌ଜାର କାର୍ଯ୍ୟକାରୀ ସଭାପତି କେ. ରବି, ସନାତନ ପାଣି, ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ଅନିରୁଦ୍ଧ ମିଶ୍ର, ସମୀର ରାଉତ, ସର୍ବଶ୍ବେର ମହାନ୍ତି, ପ୍ରତାପ ପ୍ରଧାନ, ବେଣୁଧର ଦାସ, ମନୋରଞ୍ଜନ ଦାସ, ଶକ୍ତି ପ୍ରସାଦ ନନ୍ଦ, ବିମଳ କୁମାର ରାଉଳ, ସୁଜିତ ସ୍ବାଇଁ, ତୁଷାର ସେନାପତି, ରଞ୍ଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନମୋହନ ସ୍ବାଇଁ, ସନ୍ତୋଷ ମହାନ୍ତି, ମହେନ୍ଦ୍ର ସାହୁ ଓ ଶୁଭଲକ୍ଷ୍ମୀ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଏବଂ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସିର ପ୍ରାୟ ୫୦ଜଣ ଅନ୍ତେବାସୀ ମଧ୍ୟ ଉତ୍ସବରେ ସାମିଳ ହୋଇଥିଲେ।