ସମ୍ବିତ ମହାପାତ୍ର ଏଓ୍‌ଜେଏଫଆଇ ଉପ ସଭାପତି ନିର୍ବାଚିତ

ଭୁବନେଶ୍ବର, ୧୪ା୧୨ (ସୁରେଶ ସ୍ବାଇଁ): ପାରାଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମ‌ୋଦ ଭଗତ ଏବଂ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କୁ ମିଳିଛି ଜାତୀୟ ସ୍ତରର ଗୌରବ। ଡିସେମ୍ବର ୧୪ ତାରିଖ ଗୌହାଟୀରେ ଅନୁଷ୍ଠିତ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ବାର୍ଷିକ ସାରାରଣ ବୈଠକ (ଏଜିଏମ୍‌)ରେ ପ୍ରମୋଦଙ୍କୁ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌ ସମ୍ମାନ ପ୍ରଦାନ ଲାଗି ମନୋନୀତ କରାଯାଇଛି। ଅନ୍ୟତମ ପାରା ଅଲିମ୍ପିକ୍ ପଦକ ବିଜେତା ସୁମିତ ଆନ୍ତିଲଙ୍କ ସହ ପ୍ରମ‌ୋଦଙ୍କୁ ଏହି ସମ୍ମାନ ମିଳିବ। ସୁଟର ଅବନି ଲେଖରାଙ୍କୁ ଶ୍ରେଷ୍ଠ ମହିଳା ପାରା କ୍ରୀଡ଼ାବିତ ସମ୍ମାନ ମିଳିବ। ଟୋକିଓ ଅଲିମ୍ପିକ୍‌ରେ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବଂ ରୌପ୍ୟ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କୁ ଏସ୍‌ଜେଏଫଆଇର ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌, ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କୁ ମର୍ଯ୍ୟଦାଜନକ ଏସ୍‌ଜେଏଫଆଇ ମେଡ଼ାଲ ପ୍ରଦାନ କରାଯିବ। ୪୦ ବର୍ଷ ପରେ ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ହକି ଦଳକୁ ବର୍ଷର ଶ୍ରେଷ୍ଠ ଦଳ ଏବଂ ଦଶନ୍ଧି ଧରି ଅଲିମ୍ପିଆନ୍‌ଙ୍କୁ ସମର୍ଥନ ଦେଇ ଆସିଥିବା ଅଲିମ୍ପିକ୍ ଗୋଲ୍ଡ କ୍ବେଷ୍ଟ୍‌ (ଓଜିକ୍ୟୁ)କୁ ଏସ୍‌ଜେଏଫଆଇ ସ୍ବତନ୍ତ୍ର ସମ୍ମାନ ମିଳିବ। ଏହି ଏଜିଏମ୍‌ରେ ୨୦୨୨-୨୩ ବର୍ଷ ପାଇଁ ଏସ୍‌ଜେଏଫଆଇର ନୂଆ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଓସ୍‌ଜା ସମ୍ପାଦକ ସମ୍ବିତ ମହାପାତ୍ର ଉପ ସଭାପତି ନିର୍ବାଚିତ ହୋଇଥିଲେ।
ଏସ୍‌ଜେଏଫଆଇ ନୂଆ କର୍ମକର୍ତ୍ତା: ସଭାପତି-ଏ ବିନୋଦ, ଉପ ସଭାପତି: ସମ୍ବିତ ମହାପାତ୍ର, ସରଜୁ ଚକ୍ରବର୍ତ୍ତୀ, ଦେବେନ୍ଦ୍ର ପାଣ୍ଡେ, ବିକାଶ ପାଣ୍ଡେ, ସମ୍ପାଦକ-ପ୍ରଶାନ୍ତ କେନି, ଯୁଗ୍ମ ସମ୍ପାଦକ-ଅମିତାଭ ଦାସ ଶର୍ମା, କୋଷାଧ୍ୟକ୍ଷ-ବିଦ୍ୟୁତ କାଲିଟା, କାର୍ଯ୍ୟକାରୀ ସଦସ୍ୟ: ଆମୋଲ କାରହଦକର, ସି ସନ୍ତୋଷ କୁମାର, ସୁପ୍ରଭାତ ବେଦନାଥ, ପାର୍ଥ ଚକ୍ରବର୍ତ୍ତୀ, ସୁଶିମ ଘୋଷ, ନୀଲେଲ ଦେଶପାଣ୍ଡେ, ତୁଷାର ତ୍ରିବେଦୀ।