ସ୍ବସ୍ତି ସିଂହ ଓ ପିଟର ତିର୍କିଙ୍କୁ ଓସ୍‌ଜା-୨୦୨୩ ପୁରସ୍କାର , ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶାର ବ୍ୟକ୍ତିଗତ ପଦକ ଲକ୍ଷ୍ୟ

ଭୁବନେଶ୍ବର, ୨୧/୩: ୨୦୩୬ ମସିହାରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିବା ଦୌଡ଼ରେ ରହିଛି। ସଂଯୋଗବଶତଃ ଓଡ଼ିଶା ସେହି ବର୍ଷ ନିଜ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହାକୁ ସ୍ବତନ୍ତ୍ର ସଫଳତାର ବର୍ଷ କରିବା ଆଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳିମା‌‌ନେ ବ୍ୟକ୍ତିଗତ ପଦକ ଜିତନ୍ତୁ ବୋଲି ଆଶା ରଖିଛନ୍ତି। ଭିତ୍ତିଭୂମି, ପ୍ରତିଯୋଗିତା ଓ ପ୍ରଶିକ୍ଷଣକୁ ସମାନ୍ତରାଳ ଭାବେ ଗୁରୁତ୍ବ ପ୍ରଦାନ କରାଯାଉଛି। ରାଜ୍ୟ ପ୍ରତିଯୋଗିତାକୁ ଜାତୀୟ ସ୍ତରର ଆୟୋଜନ କରାଯିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ବିଶ୍ବସ୍ତରୀୟ କରିବା ଫଳରେ ଖେଳାଳିମାନେ ସମସ୍ତ ଚାଲେଞ୍ଜକୁ ପ୍ରତିହତ କରିପାରିବେ। ସେହି ଯୋଜନାରେ ପ୍ରସ୍ତୁତି ଓ କାର୍ଯ୍ୟ କରାଯାଉଛି। ଲକ୍ଷ୍ୟ ସାଧାନ ନିମିତ୍ତ ରାଜ୍ୟ ସରକାର ଅହରହ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର ଭିନିଲ କ୍ରିଷ୍ଣା। ମଙ୍ଗଳବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ବାର୍ଷିକ ପୁରସ୍କାର ପ୍ରଦାନ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ କ୍ରିଷ୍ଣା ଏଭଳି ଆଶା ପୋଷଣ କରିଛନ୍ତି।
ଶ୍ରୀ କ୍ରିଷ୍ଣା ଆଶାବ୍ୟକ୍ତ କରିଥିଲେ ଯେ ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଓଡ଼ିଶାକୁ ଭାରୋତ୍ତୋଳନରୁ ମିଳିପାରିବ। ରାଜ୍ୟର ଗୌରବମୟ ଭାର‌ୋରୋତ୍ତୋଳନ ସଫଳତା ପରମ୍ପରାକୁ ଦେଖି ୫୦ଟି ସ୍ଥାନରେ ଉଚ୍ଚ ଗୁଣବତ୍ତା କେନ୍ଦ୍ର ଏବଂ ରାଜ୍ୟସାରା ୧୦୦ଟି ଭା‌ରୋତ୍ତୋଳନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି। ଦେଶରେ କ୍ରୀଡ଼ାର ଶ୍ରେଷ୍ଠ ଭିତ୍ତିଭୂମିର ବିକାଶ ଓଡ଼ିଶାରେ ହେଉଛି, ତା’ସହ କ୍ରୀଡ଼ା ପ୍ରତି ପ୍ରବଳ ଆଗ୍ରହ ସୃଷ୍ଟି ସକାଶେ ବଡ଼ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଖେଲୋ ଇଣ୍ତିଆ କ୍ରୀଡ଼ାରେ ଓଡ଼ିଶା ୨୬ରୁ ଉଠି ଏବେ ୯ମ ସ୍ଥାନକୁ ଆସିଗଲାଣି। ଆମ ଲକ୍ଷ୍ୟ ଶୀର୍ଷ ୫ ଭିତରକୁ ଆସିବା ବୋଲି କ୍ରୀଡ଼ା କମିଶନର କହିଥିଲେ। ତୃଣମୂଳସ୍ତରରେ ହକିର ବିକାଶ ସକାଶେ ଆମର ପ୍ରୟାସ ଜାରି ରହିଛି। ଅନେକ ଗ୍ରାମାଞ୍ଚଳ ହକି ସେଣ୍ଟର ସାଙ୍ଗକୁ କଳିଙ୍ଗ ଷ୍ଟାଡିୟମକୁ କ୍ରୀଡ଼ା ଭିତ୍ତିଭୂମିର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯାଉଛି। ଜିମ୍ନାଷ୍ଟିକ, ଟେନିସ, ବ୍ୟାଡମିଣ୍ଟନ ଏବଂ ଜଳକ୍ରୀଡ଼ା ସକାଶେ ଆନ୍ତର୍ଜାତିକମାନର ଭିତ୍ତିଭୂମି କଳିଙ୍ଗରେ ଲୋକାର୍ପିତ ହେବାକୁ ପ୍ରସ୍ତୁତ ହୋଇଗଲାଣି। ରାଉରକେଲାର ବିର୍ସାମୁଣ୍ତା ହକି ଷ୍ଟାଡିୟମ ଭଳି ଗିନିଜ ରେକର୍ଡ ହାସଲ କରିଥିବା କ୍ରୀଡ଼ା କେନ୍ଦ୍ରରେ ସରକାର ଖେଳାଳିଙ୍କ ସହ ଦର୍ଶକମାନଙ୍କୁ ମଧ୍ୟ ଶ୍ରେଷ୍ଠ ସୁବିଧା ଓ ଆନନ୍ଦ ମନାଇବାର ସୁଯୋଗ ପ୍ରଦାନ କରିଛୁ।
ଖେଳାଳିଙ୍କୁ ପ୍ରେରିତ, ଉତ୍ସାହିତ କରିବା ସହ ବିଭିନ୍ନ ଖେଳର ଲୋକପ୍ରିୟତା ଓ ବିକାଶରେ ଖେଳ ସାମ୍ବାଦିକଙ୍କ ବିଶେଷ ଭୂମିକା ରହିଛି ବୋଲି କ୍ରୀଡ଼ା ବିଭାଗର କମିଶନର ଭିନିଲ କ୍ରିଷ୍ଣା କହିଥିଲେ। ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ଖେଳ ପୃଷ୍ଠା ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରିବାର ଦିନ କେବେ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ‘‘ଖେଳ ଜୀବନ ଏକ ରିକ୍ସଭରା ଜୀବନ। ତେଣୁ ପିତାମାତା ପିଲାମାନଙ୍କୁ ଖେଳାଳିଟିଏ କରିବାକୁ ଚାହୁଁନାହାଁନ୍ତି। ଯଦି ଆପଣମାନେ ଯୁବ ବୟସର ଖେଳାଳିଙ୍କ ସଫଳତା ବିଷୟ ଗଣମାଧ୍ୟମରେ ବତାଇବେ ତା’ହେଲେ ପିତା-ମାତାଙ୍କ ମନୋଭାବରେ ଖେଳ ପ୍ରତି ସକରାତ୍ମକ ଭାବ ପ୍ରକାଶ ପାଇବ। ଏହି ପ୍ରସଙ୍ଗରେ ସେ ଯୁବ ଆଥଲେଟ ବାପି ହାସଦାଁଙ୍କ ବର୍ତ୍ତମାନର ସଫଳତା କଥା କହିଥିଲେ। ଓସ୍‌ଜାର ସମସ୍ତ ଭବିଷ୍ୟତ କାର୍ଯ୍ୟଧାରାରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଆଉ ଥରେ ଅଧିବେଶନ ଓଡ଼ିଶାରେ କରିବାକୁ ସେ ଓସଜାକୁ ପ୍ରସ୍ତାବ ଦେଇ ସହଯୋଗ ସମ୍ପୂର୍ଣ୍ଣ କରାଯିବ ବୋଲି କରତାଳି ମଧ୍ୟରେ କହିଥିଲେ।
ସ୍ବସ୍ତି ଓ ପିଟରଙ୍କୁ ମିଳିଲା ଓସ୍‌ଜା ପୁରସ୍କାର
ବାରବାଟୀ ଷ୍ଟାଡିୟମ ଓସିଏର ସମ୍ମିଳନୀ କକ୍ଷରେ ଓସଜାର ଅଷ୍ଟମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକାରୀ ସଭାପତି କେ ରବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ବତନ୍ତ୍ର ସଭାରେ ହକି କିଂବଦନ୍ତି ପିଟର ତିର୍କିଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ଏବଂ ଯୁବା ଅନ୍ତର୍ଜାତୀୟ ସାଇକ୍ଳିଷ୍ଟ ସ୍ବସ୍ତି ସିଂଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର, ଟ୍ରଫି ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ନିଜ ଖେଳ ଜୀବନର ସ୍ମୃତିଚାରଣ କରିବା ସହ ପିଟର ତିର୍କି ତାଙ୍କୁ ଏଭଳି ସମ୍ମାନ କ୍ରୀଡ଼ା ସାମ୍ବାଦିକମାନେ ଦେଇଥିବାରୁ ସେ ବଡ଼ ଖୁସି ବୋଲି କହିଥିଲେ। ସେହିପରି ରାଜ୍ୟ ପ୍ରତିଯୋଗିତାର ସଫଳତା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହା କିଭଳି ତାଙ୍କ ପରିବାରର ମନୋଭାବକୁ ବଦଳାଇ ଦେଇଥିଲା ସ୍ବସ୍ତି ସିଂହ ପ୍ରକାଶ କରିଥିଲେ। ଓଡ଼ିଶା ପାଇଁ ଅଲିମ୍ପିକ ପଦକ ଜିତିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫୁଟ୍‌ବଲ୍‌ କିଂବଦନ୍ତି ବିଜୟ ଦାସ ୬୦ ଓ ୭୦ଦଶକରେ ତାଙ୍କ ଚମକପୂର୍ଣ୍ଣ ଖେଳ ଜୀବନ କଥା ବତାଇ ସେତେବେଳେ ଏତେ ସବୁ ପୁରସ୍କାର ବ୍ୟବସ୍ଥା ନଥିବା କଥା କହିଥିଲେ। ବିଶିଷ୍ଟ ପେସ୍‌ ବୋଲର ବସନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରତ୍ୟେକ ଖେଳାଳିର ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଛି ବଡ଼ ଯୋଗଦାନ। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲା ବେଳେ ଦୀପ୍ତିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜାର ସଦସ୍ୟଙ୍କ ମଧ୍ୟରୁ ସନାତନ ପାଣି, ହିଂମାଶୁ ପତି ମିଶ୍ର, ରଜନୀକାନ୍ତ ଶତ୍ରୁସଲ୍ୟ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ସୂର୍ଯ୍ୟ ପ୍ରସାଦ ରଥ, ବିମଲ କୁମାର ରାଉଳ, ଶକ୍ତି ପ୍ରକାଶ ନନ୍ଦ, ରଶ୍ମିପ୍ରଭା ରଥ, ସର୍ବେଶ୍ବର ମହାନ୍ତି, ବେଣୁଧର ଦାସ, ତନ୍ମୟ ଦାସ, ମହେନ୍ଦ୍ର ସାହୁ, ସରୋଜ ବାରିକ, ମନୋରଞ୍ଜନ ଦାସ, ବିଜୟ କୁମାର ରଣା, ସୌଭାଗ୍ୟ ରଥ, ସୁଜିତ ଦାସ, ଚିରଞ୍ଜୀବ ପତି, ସନ୍ତୋଷ ମହାନ୍ତି, ମନମୋହନ ସ୍ବାଇଁ, ଅନିରୁଦ୍ଧ ମିଶ୍ର, ଚକ୍ରଧର ମାଝି, କୁମାରଶ୍ରୀ ସାହୁ, ସୁକେଶ ରଂଜନ ବେହେରା, ପ୍ରଫୁଲ୍ଲ କିଶୋର ସାହୁ ଏବଂ ଅଜୟ ଦାସ ଯୋଗଦେଇଥିଲେ।