ଓସ୍‌ଜା ପକ୍ଷରୁ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ କନକ୍ଲେଭ୍‌

ଭୁବନେଶ୍ବର, ୨୮/୬: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ସହ ୨୪ଜଣ ଜାତୀୟସ୍ତରୀୟ କ୍ରୀଡ଼ା ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଥିଲେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଏବଂ ହକି କିଂବଦନ୍ତି ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି। ଶ୍ରୀ ସିଂହଦେଓ ଏହି ଅବସରରେ କହିଥିଲେ, ଜଣେ କ୍ରୀଡ଼ାବିତ୍‌ଙ୍କ ପେସାଦାର ଜୀବନ ଏକ ସୀମିତ ସମୟ ପାଇଁ ରହିଥାଏ। ଏଣୁ ସବୁବେଳେ ସକାରାତ୍ମକ ଖବର ପରିବେଷଣ କରି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ହେଉଛି କ୍ରୀଡ଼ା ସାମ୍ବାଦିକଙ୍କ ଧର୍ମ ଓ କର୍ତ୍ତବ୍ୟ। କ୍ରୀଡ଼ା ବିକାଶ ଲାଗି କୋଟିକୋଟି ଟଙ୍କା ଦରକାର ନାହିଁ ବୋଲି କହି ଖୋଖୋ ଓ ମଲଖମ୍ବ ଭଳି ଖେଳର ଉଦାହରଣ ଦେଇଥିଲେ ସେ।
ଏସୀୟ ଦୌଡ଼କୁଦର ମହିଳା ୪ଗୁଣା ୧୦୦ ରିଲେରେ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରାବଶୀ, ଶକ୍ତିବର୍ଦ୍ଧକ ଔଷଧ ସେବନ ନେଇ କ୍ରୀଡ଼ାବିତ୍‌ଙ୍କ ମଧରେ ସଚେତନତାର ଅଭାବକୁ ନେଇ ଚିନ୍ତା ପ୍ରକଟ କରିବା ସହ ବିଦେଶୀ ପ୍ରଶିକ୍ଷକଙ୍କ ନିଯୁକ୍ତିକୁ ଆଗ୍ରାଧିକାର ଦିଆଯିବା ଧାରାକୁ ପସନ୍ଦ କରି ନଥିଲେ। ଓଡ଼ିଶା ଓ ଭାରତୀୟ ହକିର ବିକାଶ ନେଇ ସନ୍ତୋଷ ଜାହିର କରିବା ସହ ଭାରତୀୟ ହକି ଏବେ ସୁରକ୍ଷିତ ହାତରେ ରହିଛି ବୋଲି ଦିଲୀପ କହିଥିଲେ। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଜି ବିଶ୍ବନାଥ ଓ ସୁବୋଧ ମଲ୍ଲ ବରୁଆଙ୍କ ସହ ଓସ୍‌ଜାର ସନାତନ ପାଣି, କେ ରବି ଓ ହିମାଂଶୁ ପତି ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ସଂପାଦକ ସୁରେଶ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି କେ. ରବିଙ୍କ ସହ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କେ. ରବିକୁମାର, ରଶ୍ମିରଞ୍ଜନ ପରିଡ଼ା, ମହମ୍ମଦ ଜାଫର ଇକ୍‌ବାଲ, ସୁଖରାମ ମାଝୀ ପ୍ରମୁଖଙ୍କ ଭଳି କ୍ରୀଡ଼ା ତାରକା ଉପସ୍ଥିତ ଥିଲେ। ସାଗରିକା ପରିଡ଼ାଙ୍କ ନିର୍ଦ୍ଦେଶନାରେ ସୁନୟନା ଡ୍ୟାନ୍ସ ଗ୍ରୁପ୍‌ର କୁନିକୁନି ପିଲାମାନେ ଓଡ଼ିଶୀ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରି ରାଜ୍ୟ ବାହାରୁ ଆସିଥିବା ସାମ୍ବାଦିକମାନଙ୍କୁ ଓଡ଼ିଶାର ମହନୀୟ କଳା ସଂସ୍କୃତିର ଝଲକ ଦେଖାଇଥିଲେ।