ଅଶୋକ ପଟ୍ଟନାୟକ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତା ସମୀକ୍ଷା, ଶୁଭଲକ୍ଷ୍ମୀ, ସୁରେଶ, ସର୍ବେଶ୍ବର, ସୁକେଶ, ଶକ୍ତି, ଚକ୍ରଧରଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର, ୧୮/୮ : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଅନ୍ୟତମ କ୍ୟାଲେଣ୍ଡର୍‌ କାର୍ଯ୍ୟକ୍ରମ ଅଶୋକ ପଟ୍ଟନାୟକ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣରେ ସ୍ବର୍ଗତ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ପରେ ବଂଧୁକଚାଳନା, ବାଟୁଳି ଓ ବାହୁକୁସ୍ତି ଇଭେଣ୍ଟ୍‌ରେ ଓସ୍‌ଜାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଓସ୍‌ଜାର ପୂର୍ବତନ ସଭାପତି କେ. ରବିଙ୍କ ସହିତ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକ, ଉପ ସଭାପତି ସଂଜୀବ ବିଶ୍ବାଳ, ସମ୍ପାଦକ ତପନ ସ୍ବାଇଁ, ଏସ୍‌ଜେଏଫଆଇ ଉପ ସଭାପତି ସୁରେଶ ସ୍ବାଇଁ ପ୍ରମୁଖ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକ, ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଚିତ୍ତରଂଜନ ସ୍ବାଇଁ, ଓଡ଼ିଶା କରାଟେ ସଂଘ ସମ୍ପାଦିକା ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗର ବିଜେତା ଖେଳାଳିଙ୍କୁ ଅଗଷ୍ଟ ୨୯ ତାରିଖରେ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠା ଦିବସ ଅବସରରେ ପୁରସ୍କୃତ କରାଯିବ।
ବଂଧୁକଚାଳନା ପ୍ରତିଯୋଗିତାରେ ମହିଳା ବର୍ଗରେ ସମୀକ୍ଷା ପଟ୍ଟନାୟକ (୫୦+ ବୟସ ବର୍ଗ) ଏବଂ ଶୁଭଲକ୍ଷ୍ମୀ ବଳ (୫୦ ବର୍ଷରୁ କମ୍‌)ରେ ବିଜେତା ହୋଇଥିବାବେଳେ ମହିଳା ବାହୁକୁସ୍ତିରେ ଶୁଭଲକ୍ଷ୍ମୀ ବିଜୟିନୀ ଓ ସମୀକ୍ଷା ଉପବିଜୟିନୀ ହୋଇଥିଲେ। ବଂଧୁକଚାଳନାର ୫୦ରୁ କମ୍‌ ବୟସ ବର୍ଗରେ ଚକ୍ରଧର ମାଝୀ, ପ୍ରଫୁଲ୍ଲ କିଶୋର ସାହୁ, ଦେବାଶିଷ ସୁନ୍ଦରାୟ ଏବଂ ୫୦+ ବୟସ ବର୍ଗରେ ସର୍ବେଶ୍ବର ମହାନ୍ତି, ସୁରେଶ ସ୍ବାଇଁ, ସନ୍ତୋଷ ମହାନ୍ତି ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ବିଜେତା ହୋଇଥିଲେ।
ବାଟୁଳି ପ୍ରତିଯୋଗିତାରେ ସୁରେଶ ସ୍ବାଇଁ, ତପନ ସ୍ବାଇଁ, ବିମଳ ରାଉଳ ପ୍ରଥମ ୩ ସ୍ଥାନ ଦଖଲ କରିଥିଲେ। ୭୦ କିଲୋଗ୍ରାମରୁ କମ୍‌ ଓଜନ ବର୍ଗ ବାହୁକୁସ୍ତିରେ ଶକ୍ତି ପ୍ରସାଦ ନନ୍ଦ, ପ୍ରଫୁଲ୍ଲ କିଶୋର ସାହୁ, ଚକ୍ରଧର ମାଝୀ ଏବଂ ୭୦ କିଲୋଗ୍ରାମରୁ ଉର୍ଧ୍ବ ଓଜନ ବର୍ଗରେ ସୁକେଶ ରଂଜନ ବେହେରା, ସନ୍ଦୀପ ମିଶ୍ର, ଅନାଦି କର ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।
ବଂଧୁକଚାଳନା ପ୍ରତିଯୋଗିତାକୁ ଗୁରୁପଦ ମହାନ୍ତି, ରତିରଂଜନ ସ୍ବାଇଁ, ପି ଆକାଶ କୁମାର ଏବଂ ବାଟୁଳି ପ୍ରତିଯୋଗିତାକୁ ରାଜ୍ୟ ସଂଘ ସମ୍ପାଦକ ସପନ କୁମାର ମିଶ୍ର ପରିଚାଳନା କରିଥିଲେ। ବାହୁକୁସ୍ତି ଇଭେଣ୍ଟ୍‌କୁ ସାଗର ସ୍ବାଇଁ, ଜୟନ୍ତ କୁମାର ବେହେରା, ଧନେଶ୍ବର ସାହୁ ଓ ସନତ ମାହାର ପରିଚାଳନା କରିଥିଲେ।