ଓସ୍‌ଜା ପକ୍ଷରୁ ‘ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ’ ପାଳନ

ଭୁବନେଶ୍ବର, ୨/୭ : ଏକଥା‌ ସତ ଯେ ଭଲ ଭିତ୍ତିଭୂମି ସୃଷ୍ଟି, ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ସହ ଆର୍ଥିକ ପ୍ରୋତ୍ସାହନ କ୍ରୀଡ଼ା ବିକାଶରେ ଗୁରତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ହେଲେ ଯେପର୍ଯ୍ୟନ୍ତ କ୍ରୀଡ଼ାକୁ ଗଣଆନ୍ଦୋଳନରେ ପରିଣତ କରାଯାଇନି କିମ୍ବା ସାଧାରଣ ଜନତାଙ୍କୁ କ୍ରୀଡ଼ା ବିକାଶରେ ସାମିଲ କରାଯାଇନି, ସେପର୍ଯ୍ୟନ୍ତ ଆମେ କ୍ରୀଡ଼ା ମହାଶକ୍ତିରେ ପରିଣତ ହୋଇ ପାରିବାନି। ଏସବୁ ସହ ଦେଶ ଓ ରାଜ୍ୟରେ କ୍ରୀଡ଼ା ସାକ୍ଷରତାକୁ ମଧ୍ୟ ବଢ଼ାଇବାକୁ ହେବ। ଏହା ହେଲେ ସଫଳତା ଆପଣାଛାଏଁ ଆସିବ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ବୁଧବାର ବିଶ୍ବ କ୍ରୀଡ଼ା ଦିବସ ପାଳନ ଅବସରରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି କ୍ରୀଡ଼ା ସମ୍ବାଦ ପରିବେଷଣରେ ସ୍ବଚ୍ଛତା ଓ ନୈତିକତା ରକ୍ଷା କରିବାକୁ ଆହ୍ବାନ କରିଛନ୍ତି। କ୍ରୀଡ଼ା ଏପରି ଏକ ବିଷୟ ଯେଉଁଥିରେ ସଫଳତା ଆସିବା ଅର୍ଥ ଦେଶ ଓ ରାଜ୍ୟର ସମ୍ମାନ ବୃଦ୍ଧି ଘଟିବ। ଏଣୁ କ୍ରୀଡ଼ା ଖବର ପରିବେଷଣ ସମୟରେ ସଚେତନ ହେବାକୁ ଅତିଥି ଓ ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍କଳ କରାଟେ ସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ଖେଳରତ୍ନ ପୁରସ୍କାର ବିଜେତା ତଥା ପାରା ଅଲିମ୍ପିକ୍ ବ୍ୟାଡ୍‌ମିଣ୍ଟନ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ମୁଖ୍ୟଅତିଥି, ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ ରୋସନାରା ପରବିନ୍ ସମ୍ମାନିତ ଅତିଥିଭାବେ ଯୋଗଦେଇ କ୍ରୀଡ଼ା ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ହରିପ୍ରସାଦ ପଟ୍ଟନାୟକ ଭାରତ ଭଳି ଓଡ଼ିଶାରେ କ୍ରୀଡ଼ାନୀତି ପ୍ରଣୟନ ଓ କ୍ରୀଡ଼ାବିତ୍‌ଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ପ୍ରଥମଥର ଲାଗି ସ୍ପୋର୍ଟ୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସ୍‌ଜେଏଫ୍‌ଆଇ)କୁ ନିର୍ବାଚିତ ହୋଇଥିବା ଓସ୍‌ଜା ସମ୍ପାଦକ ସୁରେଶ ସ୍ବାଇଁ  ଓ ସଭାପତି ସନ୍ଦୀପ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଓସ୍‌ଜା ପକ୍ଷରୁ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓସ୍‌ଜାର ବରିଷ୍ଠ ସଦସ୍ୟ ସନାତନ ପାଣି, ପୂର୍ବତନ ସଭାପତି କେ. ରବି ସାମ୍ବାଦିକମାନଙ୍କୁ ଉଚ୍ଚକୋଟୀର ସମ୍ବାଦ ପରିବେଷଣ କରିବାକୁ ଆହ୍ବାନ ଦେଇଥିଲେ। ଓସ୍‌ଜା ଉପସଭାପତି ତପନ ସ୍ମାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ କ୍ରୀଡ଼ାବିତ୍ ଅନୁପମା ସ୍ବାଇଁଙ୍କ ସହ ଓସ୍‌ଜାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।